ପରିବାର ଚଳାଇବା ଚିନ୍ତାରେ ଯାତ୍ରା କଳାକାର ଓ କର୍ମଚାରୀ

Spread the love

Bodītī ଆଫତାବ ନ୍ୟୁଜ୍ ବ୍ୟୁରୋ : ସବୁଠି ପଡିଛି କରୋନାର ପ୍ରଭାବ । କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଠାରୁ ଆରମ୍ଭ କରି ବଡ ବଡ ଶିଳ୍ପ ଉପରେ କରୋନା ଚଡକ ପଡିଛି । ତେବେ ମନୋରଂଜନର ପ୍ରମୁଖ ମାଧ୍ୟମ ଯାତ୍ରା ଇଣ୍ଡଷ୍ଟ୍ରି ଉପରେ କରୋନାର ବଡ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଯାତ୍ରା ବ୍ୟବସାୟ ସମୟରେ ହିଁ କରୋନା ଆସିବା କାରଣରୁ ଯାତ୍ରା ପାର୍ଟି ମାଲିକଙ୍କ ଠାରୁ ନେଇ କଳାକାର ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସାଧାରଣତଃ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ପରଠାରୁ ଯାତ୍ରା ସିଜିନ୍ ଆରମ୍ଭ ହୋଇଥାଏ । ପରେ ଫାଲଗୁନ ମାସରେ ଦୋଳ ପୂର୍ଣ୍ଣିମା ଓ ବାରୁଣୀ ସ୍ନାନ ସମୟରେ ପ୍ରାୟତଃ ଗ୍ରାମାଞ୍ଚଳରେ ଯାତ୍ରା ଚାଲେ । ଫଗୁଣ, ଚୈତ୍ର ଓ ବୈଶାଖ ଯାତ୍ରା ବ୍ୟବସାୟର ପ୍ରମୁଖ ସମୟ । ଏହି ସମୟ ଭିତରେ ବର୍ଷକର ରୋଜଗାର ଆୟ କରିବା ପରେ ବର୍ଷା ଋତୁରେ ନୂଆ ଯାତ୍ରା ନାଟକର ରିହଲସଲ୍ ଚାଲେ । କିନ୍ତୁ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ଶେଷ ହେଉ ହେଉ କରୋନା କାୟା ମେଲାଇଲା । ଫଳରେ ଲକ୍ ଡାଉନ ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଗଲା । ଏହାକୁ ନେଇ ସବୁ ଗାଁରେ ପ୍ରଶାସନ ପକ୍ଷରୁ ଦୋଳ ମେଲଣକୁ ବାତିଲ ଓ ବନ୍ଦ କରାଗଲା । ଯେଉଁ ସମୟରେ ଯାତ୍ରା ହେବା କଥା, ସେହି ସମୟରେ ଯାତ୍ରା ହେବାର ସବୁ ରାସ୍ତା ବନ୍ଦ ହୋଇଗଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ସିଜିନ୍ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯାତ୍ରାପାର୍ଟି ମାନେ ଅଗ୍ରୀମ ଟଙ୍କା ରଖିଥିବା ବେଳେ ଅନେକ ନାମଜାଦା କଳାକାରମାନଙ୍କୁ ବି ଅଗ୍ରୀମ ଦରମା ଦିଆ ସରିଛି । ଏପରେ ଯାତ୍ରା ହେବାର କୌଣସି ସମ୍ଭାବନା ନାହିଁ । ଅନ୍ୟଏକ ବଡକଥା ହେଉଛି, ବିଭିନ୍ନ ଅନୁଷ୍ଠାନମାନେ ଆର୍ଥିକ କ୍ଷତି ଦର୍ଶାଇ ଯାତ୍ରା କରାଇବେନି ଓ ଲକ୍ ଡାଉନ୍ ପରେ ଅନୁଷ୍ଠାନ ମାନଙ୍କୁ ଯାତ୍ରାପାର୍ଟି ନେଇଥିବା ଅଗ୍ରୀମ ଟଙ୍କା ଫେରାଇବାକୁ ପଡିବ । ତେବେ ସ୍ଥିତି ସୁୁଧୁରିବା ପରେ ଯାତ୍ରା ଶିଳ୍ପ ଯେ ତୁରନ୍ତ ମୁଣ୍ଡ ଟେକି ଛିଡା ହେବ ତାହାର କୌଣସି ସମ୍ଭାବନା ନାହିଁ ବୋଲି ଜଳଜଳ ହୋଇ ଦିଶୁଛି । ଏଭଳି ସମୟରେ ବ୍ୟବସାୟ ନଥିବାରୁ ପାର୍ଟିର ଶହ ଶହ କଳାକାର ଓ କର୍ମଚାରୀଙ୍କୁ ଦରମା କିଭଳି ଦିଆଯିବ ତାହା ବି ଚିନ୍ତାଜନକ ବ୍ୟପାର ।

ରାଜ୍ୟରେ ହଜାର ହଜାର କଳାକାର, ଟେକ୍ନିସିଆନ, ଡ୍ରାଇଭର ଠୁ ନେଇ ସାଧାରଣ କର୍ମଚାରୀମାନେ ଯାତ୍ରାପାର୍ଟିରୁ ପେମେଂଟ ନେଲେ ପରିବାର ଚଳାନ୍ତି । ଗତବର୍ଷ ଏହି ସମୟରେ ଫନୀ ହୋଇଥିବା ବେଳେ ଯାତ୍ରା ଜଗତ ବେଶ୍ ଆର୍ଥିକ କ୍ଷତି ସହିଥିଲା । ବର୍ଷକ ଭିତରେ ମୁଣ୍ଡ ଟେକି ଛିଡା ହେଉଥିବା ଯାତ୍ରା ଶିଳ୍ପ ଉପରେ ଏବେ କରୋନା ବେଡି ଉପରେ କରୋଡା ସାଜିଛି । ସରକାର ଏହାକୁ ନେଇ ସକରାତ୍ମକ ବିଚାର କରିବା ଆବଶ୍ୟକ ବୋଲି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ପରିଚାଳକ ମଧୁସୁଦନ ପ୍ରଧାନ କହିଛନ୍ତି ।

66 Views

Leave a Reply

Your email address will not be published. Required fields are marked *

Translate »